ଶ୍ରୀମଦ୍ ଭାଗବତମ୍ ପ୍ରଥମ ସ୍କନ୍ଧ (Srimad Bhagavatam-Prathama Skandha )
Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ
Description
ଶ୍ରୀମଦ୍ ଭାଗବତମ୍ ଏକ ଉଚ୍ଚକୋଟିର ଦାର୍ଶନିକ କାବ୍ୟ ଏବଂ ସାହିତ୍ୟ। ଭାରତର ଲିଖିତ ଶହ ଶହ ଜ୍ଞାନ-ଗ୍ରନ୍ଥ ମଧ୍ୟରେ ଏହା ଏକ ବିଶିଷ୍ଟ ସ୍ଥାନ ଅଧିକାର କରେ। ଭାରତର କାଳାତୀତ ଜ୍ଞାନ ବେଦରେ ପ୍ରକାଶିତ। ବେଦ ଏକ ପୁରାତନ ସଂସ୍କୃତି ଗ୍ରନ୍ଥ। ଏଥିରେ ସବୁସ୍ତରର ମାନବିକ ଜ୍ଞାନ ଦିଆଯାଇଛି। ପୂର୍ବଯୁଗମାନଙ୍କରେ ଏହାକୁ ଲୋକେ ଶୁଣି ଶୁଣି ମନେ ରଖୁଥିଲେ, ତେଣୁ ମୌଳିକଃ ଶ୍ରୁତି ନାମରେ ସଂରକ୍ଷିତ ହୋଇଥିଲା। ଏହାକୁ ପ୍ରଥମେ ଶ୍ରୀଳ ବ୍ୟାସଦେବ ଲେଖିଲେ। ଶ୍ରୀଳ ବ୍ୟାସଦେବ ଭଗବାନଙ୍କର ସାହତ୍ୟିକ ଅବତାର ଅଟନ୍ତି। ବେଦ ପ୍ରଣୟନ କରିବା ପରେ ଶ୍ରୀଳ ବ୍ୟାସଦେବ ସମସ୍ତ ବେଦର ପରମବ୍ୟୁପ୍ରତ୍ମନ୍ନ ସାରକଥାକୁ ‘ଶ୍ରୀମଦ୍ ଭାଗବତମ୍’ ରୂପରେ ପ୍ରକାଶ କରିବା ନିମିତ୍ତ ତାଙ୍କ ଗୁରୁଙ୍କଠାରୁ ପ୍ରେରଣା ଲାଭ କଲେ। ଶ୍ରୀମଦ୍ ଭାଗବତମ୍କୁ ନିଗମ କଳ୍ପତରୁର ସୁପକ୍ୱ ଫଳ ବୋଲି କୁହାଯାଏ। ଏହା ବୈଦିକ ଜ୍ଞାନର ପୂର୍ଣ୍ଣ ଏବଂ ପ୍ରାମାଣିକ ପ୍ରକାଶ ଅଟେ। ୧- ମୂଳ ଚିଦ୍ଜଗତ୍, ଯାହାକି ଗୋଟିଏ ବିରାଟ ପଦ୍ମପୁଷ୍ପର କେଶର ସଦୃଶ ପ୍ରତୀୟମାନ ହୁଏ। ଏହାକୁ ଗୋଲୋକ ବୃନ୍ଦାବନ କୁହାଯାଏ। ଏହା ଆଦିପୁରୁଷ ଭଗବାନ୍ ଶ୍ରୀକୃଷ୍ଣଙ୍କର ଧାମ ଅଟେ। ୨- ମୌଳିକ ଜଗତ ଗୋଲୋକରୁ ଏକ ଦିବ୍ୟ ଜ୍ୟୋତି ଉତ୍ପନ୍ନ ହୋଇ ଚତୁର୍ଦ୍ଦିଗରେ ବିଜୁରିତ ହୁଏ। ଏହାକୁ ବ୍ରହ୍ମଜ୍ୟୋତି କୁହାଯାଏ। ଏହା ନିରାକାରବାଦୀମାନଙ୍କର ଅନ୍ତିମ ଲକ୍ଷ୍ୟ ଅଟେ। ୩ - ଯେପରି ଭୌତିକ ବ୍ରହ୍ମାଣ୍ଡର ସୂର୍ଯ୍ୟ କିରଣରେ ଅସଂଖ୍ୟ ଭୌତିକ ଲୋକ (ଗ୍ରହ-ଉପଗ୍ରହ ଆଦି) ଅଛି, ଠିକ୍ ସେହିପରି ଅନନ୍ତ ବ୍ରହ୍ମଜ୍ୟୋତିରେ ଅନନ୍ତ ଦିବ୍ୟଲୋକ ଅଛି। ଏହି ଦିବ୍ୟଲୋକଗୁଡ଼ିକ କୁଷ୍ଣଙ୍କର ସ୍ୱାଂଶ ବା ପ୍ରତ୍ୟକ୍ଷ ବିସ୍ତୃତାଂଶମାନଙ୍କ ଦ୍ୱାରା ଅଧିକୃତ ହୋଇଅଛି ଏବଂ ସେ ସବୁଲୋକର ଅଧିବାସୀବୃନ୍ଦ ନିତ୍ୟମୁକ୍ତ ଜୀବ ଅଟନ୍ତି। ସେମାନେ ସମସ୍ତେ ଚତୁର୍ଭୁଜଧାରୀ ଅଟନ୍ତି। ସେଠାରେ ଭଗବାନ୍ ‘ନାରାୟଣ’ ନାମରେ ପରିଚିତ ଏବଂ ସେ ଦିବ୍ୟଲୋକଗୁଡ଼ିକ ‘ବୈକୁଣ୍ଠ’ ନାମରେ ପରିଚିତ । ୪ - ବେଳେବେଳେ ବ୍ରହ୍ମଜ୍ୟୋତିର ପରବ୍ୟୋମର ଏକ କୋଣରେ ଏକ ଦିବ୍ୟ ମେଘଖଣ୍ଡ ଘୋଟିଯାଇଥିବାର ଦେଖାଯାଏ ଏବଂ ସେ ଆବୃତ ଅଂଶକୁ ମହତ୍-ତତ୍ତ୍ୱ ବୋଲି କୁହାଯାଏ । ତତ୍ପରେ ଭଗବାନ୍ ତାଙ୍କର ‘ମହାବିଷ୍ଣୁ’ ଅବତାରରେ ମହତ୍-ତତ୍ତ୍ୱରେ ଥିବା ଜଳରେ ଶୟନ କରନ୍ତି। ସେ ଜଳକୁ ‘କାରଣ ଜଳ’ କୁହାଯାଏ। ୫ - କାରଣ ଜଳରେ ଶୟନ କରି ସେ ଗୋଟିଏ ନିଶ୍ୱାସ ଛାଡ଼ିଲେ ତାଙ୍କ ଶରୀରରୁ ଅସଂଖ୍ୟ ବ୍ରହ୍ମାଣ୍ଡ ନିର୍ଗତ ହୁଏ। କାରଣ ସମୁଦ୍ରର ଚତୁଃପାର୍ଶ୍ୱରେ ବିକ୍ଷିପ୍ତ ହୋଇ ଏ ବ୍ରହ୍ମାଣ୍ଡଗୁଡ଼ିକ ଭାସି ବୁଲେ ସେଗୁଡ଼ିକ ମହାବିଷ୍ଣୁଙ୍କର ପୁଣି ପ୍ରଶ୍ୱାସ ନେବା ସମୟ ପର୍ଯ୍ୟନ୍ତ ରୁହନ୍ତି। ୬ - ପ୍ରତ୍ୟେକ ବ୍ରହ୍ମାଣ୍ଡ ମଧ୍ୟରେ ସେହି ମହାବିଷ୍ଣୁ ପୁଣି ଗର୍ଭୋଦକଶାୟୀ ବିଷ୍ଣୁରୂପରେ ପ୍ରବେଶ କରନ୍ତି ଏବଂ ସେଠାରେ ଗର୍ଭୋଦକରେ ଶେଷନାଗ ଶଯ୍ୟାରେ ଶୟନ କରନ୍ତି। ତାଙ୍କର ନାଭି ଦେଶରୁ ଏକ ପଦ୍ମନାଡ଼ ଜାତ ହୁଏ ଏବଂ ପଦ୍ମରେ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବ୍ରହ୍ମା ଜାତ ହୁଅନ୍ତି। କାମାନୁଯାୟୀ ବ୍ରହ୍ମାଣ୍ଡରେ ଯେତେ ବିଭିନ୍ନ ପ୍ରକାର ଜୀବ ଅଛନ୍ତି, ସେ ସବୁର ସୃଷ୍ଟିକର୍ତ୍ତା ହେଉଛନ୍ତି ଶ୍ରୀ ବ୍ରହ୍ମାଜୀ। ସେ ମଧ୍ୟ ସୂର୍ଯ୍ୟ, ଚନ୍ଦ୍ର ଓ ଅନ୍ୟ ଦେବତାମାନଙ୍କୁ ସୃଷ୍ଟି କରନ୍ତି। ୭ - ପ୍ରତ୍ୟେକ ବ୍ରହ୍ମାଣ୍ଡର ପ୍ରାୟ କେନ୍ଦ୍ରରେ ସୂର୍ଯ୍ୟ ଅବସ୍ଥିତ ଏବଂ ସେ ପ୍ରଚୁର କିରଣ ଓ ଉତ୍ତାପ ସମଗ୍ର ବ୍ରହ୍ମାଣ୍ତରେ ବିତରଣ କରନ୍ତି। ମହତ୍ତତ୍ତ୍ୱରେ ଥିବା କୋଟି କୋଟି ବ୍ରହ୍ମାଣ୍ଡରେ କୋଟି କୋଟି ସୂର୍ଯ୍ୟ ଅଛନ୍ତି। ବ୍ରହ୍ମାଣ୍ଡମାନଙ୍କରେ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର ଆବଶ୍ୟକତା ଅଛି, କାରଣ ସେଗୁଡ଼ିକ ଅନ୍ଧକାରମୟ ଅଟେ। ବେଦରେ ଆମ୍ଭମାନଙ୍କୁ ଏ ଅନ୍ଧକାରମୟ ବ୍ରହ୍ମାଣ୍ଡମାନଙ୍କରୁ ବାହାରିଯାଇ ଉଜ୍ଜ୍ୱଳ ବ୍ରହ୍ମ ଜ୍ୟୋତିରେ ପ୍ରବେଶ କରିବା ନିମିତ୍ତ ଉପଦେଶ ଦିଆଯାଇଛି। ୮- ଉଜ୍ଜ୍ୱଳ ବୈକୁଣ୍ଠଲୋକମାନଙ୍କ ଯୋଗୁଁ ବ୍ରହ୍ମଜ୍ୟୋତି ପ୍ରକାଶିତ ହୋଇଅଛି। ବୈକୁଣ୍ଠ ଲୋକମାନଙ୍କରେ ସୂର୍ଯ୍ୟ, ଚନ୍ଦ୍ର କିମ୍ୱା ବିଦ୍ୟୁତ୍ ଆଲୋକର ଆବଶ୍ୟକତା ନାହିଁ। ପରମବ୍ୟୋମରେ ଥିବା ସର୍ବୋଚ୍ଚ ଲୋକ ଗୋଲୋକ ବୃନ୍ଦାବନରେ ପ୍ରବେଶ କରିବା ନିମିତ୍ତ ଶ୍ରୀମଦ୍ ଭାଗବତମ୍ ଆମ୍ଭମାନଙ୍କୁ ସାହାଯ୍ୟ କରେ। ପ୍ରତ୍ୟେକଙ୍କ ପାଇଁ ଏହି ଦ୍ୱାର ଉନ୍ମୁକ୍ତ ଅଛି। ମାନବ ଜୀବନ ଏହି ଲକ୍ଷ୍ୟସାଧନ ନିମିତ୍ତ ଉଦ୍ଦିଷ୍ଟ, କାରଣ ଏହା ଜୀବନର ପରମ ପରିପୂର୍ଣ୍ଣତା ଅଟେ।
Sample Audio
Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.
Your IP Address: 216.73.216.223
Server IP Address: 169.254.130.3